JEE NEET ମାଗଣା କୋଚିଂ: ଛାତ୍ରମାନେ JEE ପାଇଁ 'ସାଥି' ପାଇବେ, NEET ପ୍ରସ୍ତୁତି, ଆଇଆଇଟି ଶିକ୍ଷକମାନେ ମାଗଣାରେ ଶିକ୍ଷାଦାନ କରିବେ

ଜେଇଇ, ନିଇଟ୍ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଏକ ବଡ଼ ଉପହାର ଆଣୁଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ SATHEE (Self Assessment Test and Help for Entrance Exams) ପ୍ଲାଟଫର୍ମକୁ ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଅନ୍ତର୍ଗତ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ଓ ପ୍ରବେଶ ପରୀକ୍ଷା ପାଇଁ ମାଗଣାରେ କୋଚିଂ ନେଇପାରିବେ। ବିଶେଷ କଥା ହେଉଛି ଏହି ପ୍ଲାଟଫର୍ମ ମାଧ୍ୟମରେ ସେମାନେ ଆଇଆଇଟି, ଆଇଆଇଏସି ଭଳି ସଂସ୍ଥାନର ଶିକ୍ଷକମାନଙ୍କ ଠାରୁ ପାଠ ପଢିବା ସୁଯୋଗ ପାଇବେ। ଏଥିପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ, ଅର୍ଥାତ୍ ଏହା ସମ୍ପୂର୍ଣ୍ଣ ମାଗଣା।

ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଏହି ସମ୍ବନ୍ଧରେ ତାଙ୍କ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “‘ସାଥୀ’ ଶିକ୍ଷା ମନ୍ତ୍ରଣାଳୀ ଓ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହେଉଥିବା ଏକ ପ୍ଲାଟଫର୍ମ, ଯାହା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଉତ୍ତମ ପ୍ଲାଟଫର୍ମ ଯୋଗାଇବ। ଏହି ସୁବିଧା ସେହି ସମସ୍ତ ଛାତ୍ରଛାତ୍ରୀ ନେଇପାରିବେ, ଯେଉଁମାନେ ମହଙ୍ଗା କୋଚିଂ ଖର୍ଚ୍ଚ ସହିପାରୁନାହାନ୍ତି।”

6 ମାର୍ଚ୍ଚରେ ହେବ ଲଞ୍ଚ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ 6 ମାର୍ଚ୍ଚରେ ଏହି ପ୍ଲାଟଫର୍ମକୁ ଲଞ୍ଚ କରିବାକୁ ଯାଉଛନ୍ତି। ଛାତ୍ରଛାତ୍ରୀମାନେ ଏହି ପ୍ଲାଟଫର୍ମରେ ଯାଇ ଶିକ୍ଷକମାନେ ଅପଲୋଡ୍ କରିଥିବା ଭିଡିଓ ଦେଖି ନିଜ ଧାରଣା ସ୍ପଷ୍ଟ କରିପାରିବେ। ଏହାଛଡ଼ା ଦୁର୍ବଳ ବିଷୟଗୁଡ଼ିକୁ ଭଲ ଭାବେ ପ୍ରସ୍ତୁତି କରିପାରିବେ।